ଏବେବି ନିଖୋଜ ୪ ଓଡ଼ିଆ l ମିଳୁନି ପତ୍ତା l ଚାଲିଛି ଖୋଜା l ସିକ୍କିମ ଟୁରିଷ୍ଟ ଗାଡ଼ି ଦୁର୍ଘଟଣାରେ ନିଖୋଜକୁ ୩ ଦିନ ବିତିଲାଣି । ମିଳୁନି ନିଖୋଜଙ୍କ ସନ୍ଧାନ । ତିସ୍ତା ନଦୀରେ ନିଖୋଜ ଅଛନ୍ତି ଯାଜପୁର ବ୍ୟାସନଗର ଅଞ୍ଚଳର ବିଜେପି ନେତ୍ରୀ ଇତିଶ୍ରୀ ଜେନା ଓ ତାଙ୍କ ପରିବାରର ଅନ୍ୟ ୩ ଜଣ । ପ୍ରବଳ ବର୍ଷା ଯୋଗୁଁ ନଦୀର ଜଳସ୍ତର ବଢ଼ୁଥିବାରୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି । ଓଡ଼ିଶା ଓ ସିକ୍କିମ ସରକାର ମିଳିତ ଭାବେ ରେସକ୍ୟୁ ଅପରେସନ ଚଳାଇଛନ୍ତି । ଏଣେ ସମୟ ଯେତିକି ଗଡ଼ୁଛି, ଇତିଶ୍ରୀଙ୍କ ଗାଁ ଓ ପରିବାରରେ ଆଶା ଆଶଂକା ସେତିକି ବଢ଼ୁଛି । ଦୁର୍ଘଟଣା ସମୟରେ ପର୍ଯ୍ୟଟକ ଗାଡିରେ ସମୁଦାୟ ୧୧ ଜଣ ଥିବାବେଳେ ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ ଉଦ୍ଧାର କରାଯାଇଛି ।
ପାଗ ସୁଧୁରିଲେ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ ହେବ । ଘଟଣାସ୍ଥଳରେ ଜିଲ୍ଲା ପ୍ରଶାସନ, ପୋଲିସ ଓ ରେସକ୍ୟୁ ଟିମ ଉପସ୍ଥିତ ରହିଛନ୍ତି । ଉଦ୍ଧାର କାର୍ଯ୍ୟରେ ଆଇଟିବିପି, ଏସଡିଆରଏଫ ଓ ଏନଡିଆରଏଫ ଯବାନଙ୍କୁ ମଧ୍ୟ ମୁତୟନ କରାଯାଇଛି । ନଦୀରେ ଖସି ପଡିଥିବା ଗାଡିକୁ ଠାବ କରାଯାଇଥିଲେ ମଧ୍ୟ ସେଠାରୁ କାହା ମୃତ ଶରୀର ମିଳିନାହିଁ ବୋଲି କହିଛନ୍ତି ମଙ୍ଗନ ଏସପି ସୋନମ ଡେଟଚୁ ଭୁଟିଆ । ମେ ୨୯ ତାରିଖରେ ତିସ୍ତା ନଦୀରେ ପର୍ଯ୍ୟଟକ ଗାଡି ଖସି ପଡିଥିଲା । ଗାଡିରେ ଡ୍ରାଇଭରଙ୍କୁ ମିଶାଇ ମୋଟ୍ ୧୧ ଜଣ ଯାତ୍ରୀ ଥିଲେ । ୪ ଓଡ଼ିଆ ପର୍ଯ୍ୟଟକ ଏବେବି ନିଖୋଜ ଅଛନ୍ତି ।