‘ଅପରାଧ କାମନାର ନୁହେଁ, ପ୍ରେମର ପରିଣାମ’; ପୋକ୍ସୋ ଅଭିଯୁକ୍ତଙ୍କୁ ସୁପ୍ରିମକୋର୍ଟରୁ ଆଶ୍ବସ୍ତି 

ଏକ ବିରଳ ମାମଲାରେ ସୁପ୍ରିମକୋର୍ଟଙ୍କ ରାୟ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି । ସୁପ୍ରିମକୋର୍ଟ ପୋକ୍ସୋ ଆକ୍ଟରେ ଜଣେ ଅଭିଯୁକ୍ତଙ୍କୁ ଦୋଷମୁକ୍ତ କରିଛନ୍ତି । ଜଣେ ନାବଳିକାଙ୍କୁ ଦୁଷ୍କର୍ମ କରିବା ପରେ ତାଙ୍କୁ ବିବାହ କରିଥିବା ଅଭିଯୁକ୍ତଙ୍କୁ ଆଶ୍ବସ୍ତି ଦେଇଛନ୍ତି ସର୍ବୋଚ୍ଚ ଅଦାଲତ । ସମ୍ବିଧାନର ଧାରା ୧୪୨ ଆଧାରରେ ନିଜର ପୂର୍ଣ୍ଣ କ୍ଷମତାର ବ୍ୟବହାର କରି ସୁପ୍ରିମକୋର୍ଟ ଏହି ରାୟ ଶୁଣାଇଛନ୍ତି । ସୁପ୍ରିମକୋର୍ଟ କହିଛନ୍ତି, ‘ଏହି ଅପରାଧ କାମନାର ନୁହେଁ, ବରଂ ପ୍ରେମର ପରିଣାମ।’ 

ଜଷ୍ଟିସ୍‌ ଦୀପଙ୍କର ଦତ୍ତ ଏବଂ ଜଷ୍ଟିସ୍‌ ଏଜି ମସୀହଙ୍କ ଖଣ୍ଡପୀଠ କହିଛନ୍ତି, ପୀଡ଼ିତା (ଏବେ ପତ୍ନୀ) କହିଥିଲେ ସେ ଯୁବକଙ୍କୁ ବିହାହ କରିଛନ୍ତି ଏବଂ ତାଙ୍କର  ବର୍ଷକର ପୁଅ ଅଛି । ସେମାନେ ଏବେ ଖୁସିରେ ଜୀବନ ଯାପନ କରୁଛନ୍ତି । ମହିଳାଙ୍କ ପିତା ମଧ୍ୟ ଚାହୁଁଛନ୍ତି, ତାଙ୍କ ଜ୍ବାଇଁଙ୍କ ବିରୋଧରେ ଥିବା ମାମଲା ସମାପ୍ତ ହେଉ ।

ଖଣ୍ଡପୀଠ କହିଛନ୍ତି, ‘ଅପରାଧ କେବଳ ଜଣେ ବ୍ୟକ୍ତିଙ୍କ ବିରୋଧରେ ନୁହେଁ, ବରଂ ପୁରା ସମାଜ ବିରୋଧରେ ହୁଏ ବୋଲି ଆମେ ଅବଗତ ଅଛୁ । ଯେବେ କୌଣସି ଅପରାଧ ହୁଏ ତାହା ସାମୂହିକ ଚେତନାକୁ ଆହତ କରେ । ତେଣୁ ସମାଜ ନିଜର ନିର୍ବାଚିତ ସାଂସଦଙ୍କ ମାଧ୍ୟମରେ ଏଭଳି ଅପରାଧ ଲାଗି ଦଣ୍ଡ କଣ ହେବ ଏବଂ ଅପରାଧୀ ପ୍ରତି କେଉଁଭଳି ବ୍ୟବହାର କରାଯିବ ନିର୍ଦ୍ଧାରଣ କରେ । ଏହା ଦ୍ବାରା ଅପରାଧର ଯେଉଁଭଳି ପୁନରାବୃତ୍ତି ନୁହୁଏ ତାହା ସୁନିଶ୍ଚିତ କରେ ।’ 

ଅକ୍ଟୋବର ୧୮ରେ ନିଜ ରାୟରେ ଖଣ୍ଡପୀଠ କହିଛନ୍ତି, ନ୍ୟାୟ ପ୍ରଦାନ କରିବା ବେଳେ ଏକ ସୁକ୍ଷ୍ମ ଦୃଷ୍ଟିକୋଣର ଆବଶ୍ୟକତା ରହିଛି । କୋର୍ଟ ପ୍ରତ୍ୟେକ ମାମଲାରେ ଏହାର ବିଶେଷତା ଅନୁସାରେ ନିର୍ଣ୍ଣୟ ଦିଅନ୍ତି । ଆବଶ୍ୟକସ୍ଥଳେ କୋର୍ଟ ଦୟାଳୁ ଭାବରେ ମଧ୍ୟ ରାୟ ଶୁଣାଇଥାନ୍ତି । କୌଣସି ବିବାଦର ସମାଧାନ କରିବା ମଧ୍ୟ ସମାଜ ପାଇଁ ସର୍ବୋତ୍ତମ । 

ସୁପ୍ରିମକୋର୍ଟ ଆହୁରି ମଧ୍ୟ କହିଛନ୍ତି, ଆଇନ ଅନୁସାରେ ଆବେଦନକାରୀ ଦୋଷମୁକ୍ତ ନୁହେଁ । କିନ୍ତୁ ତାଙ୍କ ପତ୍ନୀଙ୍କ କରୁଣା ଏବଂ ସହାନୁଭୂତି ଭରା ଅପିଲକୁ ମଧ୍ୟ ଅଣଦେଖା କରିବା ନ୍ୟାୟ ନୁହେଁ । ଆବେଦନକାରୀ ଏବଂ ପୀଡ଼ିତା କେବଳ ଆଇନଗତ ଭାବରେ ବିବାହିତ ନୁହଁନ୍ତି, ବରଂ ସେମାନେ ପାରିବାରିକ ଜୀବନରେ ବି ସାଥିରେ ଅଛନ୍ତି । ପୋକ୍ସୋ ଆକ୍ଟ ଜରିଆରେ ହୋଇଥିବା ମାମଲାରେ ଆମେ ଯାଞ୍ଚ କରି ଜାଣିବାକୁ ପାଇଲୁ ଯେ, ଇଏ ଅପରାଧ କାମନାର ନୁହେଁ, ବରଂ ପ୍ରେମର ପରିଣାମ ଥିଲା । 

ସେପଟେ ନିଜ ପତ୍ନୀ ଏବଂ ପିଲାକୁ ହଇରାଣ ନକରିବାକୁ ସୁପ୍ରିମକୋର୍ଟ ଆବେଦନକାରୀ (ଅଭିଯୁକ୍ତ)ଙ୍କୁ କହିଛନ୍ତି । ସାରା ଜୀବନ ସମ୍ମାନର ସହ ସେମାନଙ୍କ ଭରଣ ପୋଷଣ ଲାଗି କହିଛନ୍ତି । ଏଭଳି ରାୟ ବିଶେ​‌ଷ ପରିସ୍ଥିତିରେ ଦିଆଯାଇଛି ଏବଂ ଏହାକୁ ଅନ୍ୟ କୌଣସି ମାମଲାରେ ଉଦାହରଣ ଭାବରେ ଗ୍ରହଣ କରାଯାଇ ପାରିବନାହିଁ ବୋଲି ମଧ୍ୟ ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି । ଅନ୍ୟପକ୍ଷରେ ଭବିଷ୍ୟତରେ ଯଦି ପୀଡ଼ିତା କିମ୍ବା ତାଙ୍କ ପିଲାଙ୍କ ପକ୍ଷରୁ କୌଣସ ମାମଲା କୋର୍ଟ​ରେ ପହଞ୍ଚେ ତେବେ ଆବେଦନକାରୀଙ୍କ ପାଇଁ ପରିଣାମ କିଛି ଭଲ ହେବ ନାହିଁ ବୋଲି ମଧ୍ୟ ସୁପ୍ରିମକୋର୍ଟ ଚେତାବନୀ ଦେଇଛନ୍ତି ।  

Leave a Reply

Your email address will not be published. Required fields are marked *