ଭାରତୀୟ ଟେଲିକମ୍ ନିୟାମକ ପ୍ରାଧିକରଣ (TRAI), ଅନ୍ତର୍ଜାତୀୟ ଦୂରସଂଚାର ସଂଘ (ITU) ସହ ସହଭାଗୀତାରେ, ଭୁବନେଶ୍ୱରରେ କାର୍ଯ୍ୟଦକ୍ଷତା, ସେବା ଗୁଣବତ୍ତା ଏବଂ ଅଭିଜ୍ଞତାର ଗୁଣବତ୍ତା ଉପରେ ଏକ ଦୁଇଦିନିଆ କର୍ମଶାଳା ଆରମ୍ଭ ହୋଇଛି। ଏହି ଦୁଇ ଦିନିଆ ଅନ୍ତର୍ଜାତୀୟ କାର୍ଯ୍ୟକ୍ରମରେ ବିଶ୍ୱର ବିଭିନ୍ନ ଦେଶରୁ ଜାତୀୟ ନିୟାମକ ପ୍ରାଧିକରଣ (ଏନଆରଏ), ସେବା ପ୍ରଦାନକାରୀ ଏବଂ ବୈଷୟିକ ବିଶେଷଜ୍ଞମାନେ ଯୋଗଦେଇଛନ୍ତି । କର୍ମଶାଳାର ଉଦ୍ଦେଶ୍ୟ ହେଉଛି ଟେଲିକମ୍ ସେବା-ଗୁଣବତ୍ତା ଢାଞ୍ଚା ଉପରେ ସହଯୋଗ ପ୍ରୟାସକୁ ଆଗକୁ ବଢାଇବା ।
ନିଜର ଉଦଘାଟନୀ ଭାଷଣ ଦେଇ, ଟ୍ରାଇର ଅଧ୍ୟକ୍ଷ ଶ୍ରୀ ଅନୀଲ କୁମାର ଲାହୋଟି କହିଥିଲେ ଯେ ୧୨୩ କୋଟି ଟେଲିକମ ଗ୍ରାହକ ଓ ପ୍ରାୟ ୯୯ ପ୍ରତିଶତ ୪ଜି କଭରେଜ ସହ ଭାରତ ବିଶ୍ବର ସବୁଠାରୁ ଦ୍ରୁତଗତିରେ ୫ଜି ସେବା କାର୍ଯ୍ୟକ୍ଷମ କରିଥିଲା । ସେ କହିଥିଲେ ଯେ ଭାରତ ସୁଲଭ ମୂଲ୍ୟରେ ଉଚ୍ଚ ଡାଟା ଉପଯୋଗ ରେକର୍ଡ କରିଚାଲିଛି । ଏହା ଫଳରେ ସମାଜର ସବୁ ସାମାଜିକ ଓ ଅର୍ଥନୈତିକ ବର୍ଗଙ୍କ ନିକଟକୁ ଡିଜିଟାଲ ସଂଯୋଗ ସୁନିଶ୍ଚିତ କରାଯାଇପାରୁଛି ।
ଏହି ଅବସରରେ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା ସାର୍ବଜନୀନ ସୁରକ୍ଷା ଏବଂ ବିପର୍ଯ୍ୟୟ-ପରିଚାଳନା ବ୍ୟବସ୍ଥାରେ ଟେଲିକମ ସେବାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା କଥା ଉଲ୍ଲେଖ କରିଥିଲେ। ଘୂର୍ଣ୍ଣିବାତ୍ୟା ଏବଂ ସୁନାମି ସତର୍କତା ସହିତ ଓଡ଼ିଶାର ଅଭିଜ୍ଞତାକୁ ଉର୍ଦ୍ଧୃତ କରି, ସେ ଅନ୍ତର୍ଭୁକ୍ତ ଅଭିବୃଦ୍ଧି, ଆର୍ଥିକ ବିକାଶ ଏବଂ ଦକ୍ଷ ସାର୍ବଜନୀନ-ସେବା ପ୍ରଦାନକୁ ସକ୍ଷମ କରିବାରେ ଟେଲିକମ ସେବାର କେନ୍ଦ୍ରୀୟ ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ। ଆଜି ପ୍ରାୟ ପ୍ରତ୍ୟେକ କଲ୍ୟାଣକାରୀ ବ୍ୟବସ୍ଥା ଯୋଗାଯୋଗ ଉପରେ ନିର୍ଭର କରେ ବୋଲି ଉଲ୍ଲେଖ କରି, ସେ ଗୁରୁତ୍ୱାରୋପ କଲେ ଯେ ସମୟୋଚିତ ଚେତାବନୀ ଏବଂ ସ୍ଥିର ସେବା ପ୍ରଦାନ ପାଇଁ ଦୃଢ଼ କ୍ୟୁଓଏସ ଏବଂ କ୍ୟୁଓଇ ବ୍ୟବସ୍ଥା ଅପରିହାର୍ଯ୍ୟ।
ଏହି କାର୍ଯ୍ୟକ୍ରମରେ ଏସିଆ, ଆଫ୍ରିକା ଏବଂ ୟୁରୋପରୁ ପ୍ରାୟ ୧୫୦ ଜଣ ଅଂଶଗ୍ରହଣକାରୀ ବ୍ୟକ୍ତିଗତ ଏବଂ ଭର୍ଚୁଆଲ୍ ଭାବରେ ଯୋଗ ଦେଇଥିଲେ । ଏଥିରେ ଓପନସିଗନାଲ, ଓକଲା ଓ କିସାଇଟ ଟେକନଲୋଜୀ ସମେତ ୩୯ଟି ଦେଶର ନିୟାମକ କର୍ତ୍ତୃପକ୍ଷ, ଅପରେଟର, ପ୍ରଯୁକ୍ତିବିଦ୍ୟା ବିକ୍ରେତା ଏବଂ ପରିମାପ ଉପରକରଣ ବିଶେଷଜ୍ଞ ସାମିଲ ଥିଲେ।
