ପାକିସ୍ତାନ ସେନା ମୁଖ୍ୟ ଏବଂ ଫିଲ୍ଡ ମାର୍ଶଲ୍ ଅସୀମ ମୁନିରଙ୍କୁ ଖୋଲା ଧମକ । ଯେଉଁ ଆତଙ୍କବାଦୀଙ୍କୁ ନିପାତ କରିବାକୁ ଯାଇ ତାଲିବାନ ଶାସିତ ଆଫଗାନିସ୍ତାନ ଉପରେ ଆକ୍ରମଣ କରିଥିଲା ପାକିସ୍ତାନ, ଏବେ ସେହି ଆତଙ୍କବାଦୀ ଅସୀମ ମୁନିରଙ୍କୁ ଖୋଲା ଚ୍ୟାଲେଞ୍ଜ କରିଛନ୍ତି । ତେହରିକ-ଏ ତାଲିବାନ ପାକିସ୍ତାନ (ଟିଟିପି)ର ଆତଙ୍କବାଦୀ ଭିଡିଓ ଜାରି କରି ମୁନିରଙ୍କୁ ଧମକ ଦେଇଛନ୍ତି । ଯଦି ମା କ୍ଷୀର ପିଇଛ ତେବେ ନିଜେ ଆଗକୁ ଆସି ଯୁଦ୍ଧ ଲଢ଼, ସୈନିକଙ୍କୁ ମରିବା ପାଇଁ ଛାଡ଼ନି ବୋଲି ମୁନିରଙ୍କୁ କହିଛନ୍ତି ଟିଟିପି ଆତଙ୍କବାଦୀ । ଟିଟିପି ଆତଙ୍କବାଦୀଙ୍କ ଦ୍ବାରା କିଛି ଭିଡିଓ କ୍ଲିପ୍ ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଛି । ଏହି ଭିଡିଓ ଏବେ ପାକିସ୍ତାନର ଚିନ୍ତା ବଢ଼ାଇ ଦେଇଛି ।
ଭିଡିଓରେ ଆତଙ୍କବାଦୀଙ୍କ ଏକ ଗୋଷ୍ଠୀ ଛିଡ଼ା ହୋଇଥିବାର ଦେଖିବାକୁ ମିଳିଛି । ସେମାନଙ୍କ ମଧ୍ୟରୁ ଜଣେ ଆଗକୁ ଆସି ମୁନିରଙ୍କୁ ଏଭଳି ଚ୍ୟାଲେଞ୍ଜ କରିଛି । ସେ ଟିଟିପିର କମାଣ୍ଡର କାଜିମ ଏବଂ ତା’ ମୁଣ୍ଡ ଉପରେ ୧୦ କୋଟି ଟଙ୍କା ଲାଗିଥିଲା ବୋଲି ପାକିସ୍ତାନ ପକ୍ଷରୁ ସୂଚନା ମିଳିଛି ।
ତେହରିକ-ଏ-ତାଲିବାନ ପାକିସ୍ତାନ ଦ୍ୱାରା ପୋଷ୍ଟ ଭିଡିଓ ସିରିଜରେ ଅକ୍ଟୋବର ୮ ତାରିଖରେ ଖାଇବର ପଖତୁନଖ୍ୱାର କୁର୍ମ ଜିଲ୍ଲାରେ ହୋଇଥିବା ଏକ ଘାତକ ଆକ୍ରମଣର କ୍ଲିପ୍ ଅନ୍ତର୍ଭୁକ୍ତ । ଯେଉଁଥିରେ ଟିଟିପି ୨୨ ଜଣ ପାକିସ୍ତାନୀ ସୈନିକଙ୍କୁ ହତ୍ୟା କରିଥିବା ଦାବି କରିଛି। ଏହି ଗୋଷ୍ଠୀ ଏହା ମଧ୍ୟ କହିଛି ଯେ, ସେମାନେ ପାକିସ୍ତାନୀ ସେନାର ଗାଡ଼ି କବଜା କରିଛନ୍ତି। ସେପଟେ ଲଢ଼େଇରେ କେବଳ ୧୧ ଜଣ ସୈନିକଙ୍କ ମୃତ୍ୟୁ ହୋଇଥିଲା ବୋଲି ପାକିସ୍ତାନୀ ସେନା ଆନୁଷ୍ଠାନିକ ଭାବରେ ସୂଚନା ଦେଇଥିଲା ।
ଟିଟିପି ଭିଡିଓରେ, କମାଣ୍ଡର କାଜିମ କ୍ୟାମେରାରେ ସେନା ମୁଖ୍ୟ ଅସୀମ ମୁନିରଙ୍କୁ ଚ୍ୟାଲେଞ୍ଜ କରୁଥିବାର ଦେଖିବାକୁ ମିଳିଛି । ସେ କହୁଛି, ‘ଯଦି ତୁମେ ଜଣେ ପୁରୁଷ, ତେବେ ଆଗକୁ ଆସ… ଯଦି ତୁମେ ମା’ କ୍ଷୀର ପିଇଛ, ତେବେ ଯୁଦ୍ଧ କର।’ ପାକିସ୍ତାନ ସରକାର କମାଣ୍ଡର କାଜିମକୁ ଗିରଫ କରିବା ପାଇଁ ୧୦ କୋଟି ପାକିସ୍ତାନୀ ଟଙ୍କା ପୁରସ୍କାର ଘୋଷଣା କରିଥିଲେ।
ପାକିସ୍ତାନ ଟିଟିପିକୁ ଏକ ଆତଙ୍କବାଦୀ ସଂଗଠନ ବୋଲି ବିଚାର କରିଆସଛି । ଟିଟିପିକୁ ନେଇ ଆଫଗାନିସ୍ତାନ ଏବଂ ପାକିସ୍ତାନ ମଧ୍ୟରେ ବିବାଦ ରହିଆସିଛି। ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ସାମ୍ପ୍ରତିକ ବିବାଦ ମଧ୍ୟ ଏହି ପ୍ରସଙ୍ଗ ଉପରେ ଆଧାରିତ । କତାର ଏବଂ ତୁର୍କୀର ମଧ୍ୟସ୍ଥତାରେ ଏକ ଅସ୍ଥାୟୀ ଯୁଦ୍ଧବିରତି ପାଇଁ ଉଭୟ ପକ୍ଷ ରାଜି ହୋଇଥିଲେ । ବୁଧବାର ଦୁଇ ପକ୍ଷ ୪୮ ଘଣ୍ଟିଆ ଯୁଦ୍ଧବିରତି ଲାଗି ରାଜି ହୋଇଥିଲେ ।
ସୂଚନାଯୋଗ୍ୟ, ଅକ୍ଟୋବର ୯ରେ ଆଫଗାନିସ୍ତାନରେ ଦୁଇଟି ଭୟଙ୍କର ବିସ୍ଫୋରଣ ଘଟିଥିଲା । ଏଥିପାଇଁ ପାକିସ୍ତାନକୁ ଦାୟୀ କରିଥିଲା ତାଲିବାନ ଶାସିତ ଆଫଗାନିସ୍ତାନ । ଏହା ପରେ ଅକ୍ଟୋବର ୧୧ରେ ଆଫଗାନ ତାଲିବାନ ପକ୍ଷରୁ ଖାଇବର ପଖତୁନଖ୍ୱାର କେତେକ ଅଞ୍ଚଳରେ ଗୁଳିମାଡ଼ କରାଯାଇଥିଲା । ଏହାର ଜବାବରେ ପାକିସ୍ତାନ ସେନା ଆଫଗାନିସ୍ତାନ ଭିତରେ ମଧ୍ୟ ଆକ୍ରମଣ କରିଥିଲା । ପରବର୍ତ୍ତୀ ସମୟରେ ପାକିସ୍ତାନ ପକ୍ଷରୁ କୁହାଯାଇଥିଲା ଯେ, ଆଫଗାନିସ୍ତାନ ଭିତରେ ଥିବା ଆତଙ୍କବାଦୀଙ୍କୁ ଟାର୍ଗେଟ କରାଯାଇଛି । ସେବେଠାରୁ ଦୁଇ ଦେଶ ମଧ୍ୟରେ ବିବାଦ ଉଗ୍ର ରୂପ ଧାରଣ କରିଛି । ୪୮ ଘଣ୍ଟିଆ ଯୁଦ୍ଧବିରତି ହୋଇଥିଲେ ବି ଆଗକୁ ସ୍ଥିତି କଣ ହେବ ତା ଉପରେ ସାରା ବିଶ୍ବର ନଜର ରହିଛି ।
