ତୁର୍କୀ କତାର ଏବଂ ଓମାନ ସହିତ ବ୍ୟବହୃତ ୟୁରୋଫାଇଟର ଟାଇଫୁନ୍ ଜେଟ୍ କିଣିବା ପାଇଁ ଆଲୋଚନା କରୁଛି। ଏନେଇ ତୁର୍କର ରାଷ୍ଟ୍ରପତି ରେସେପ୍ ତାୟିପ୍ ଏର୍ଦୋଗାନ ଆନୁଷ୍ଠାନିକ ଭାବେ ଘୋଷଣା କରିଛନ୍ତି। ଏନେଇ ସେ କହିଛନ୍ତି ଯେ, ଦେଶର ନିଜସ୍ୱ ବିକଶିତ ପଞ୍ଚମ ପିଢ଼ିର KAAN ଲଢ଼ୁଆ ଜେଟ୍ ସମ୍ପୂର୍ଣ୍ଣ ପ୍ରସ୍ତୁତ ନହେବା ପର୍ଯ୍ୟନ୍ତ ତୁର୍କୀ ବାୟୁସେନାର କ୍ଷମତାକୁ ତୁରନ୍ତ ବୃଦ୍ଧି କରିବା ପାଇଁ ଏହି ଲକ୍ଷ୍ୟ ରଖାଯାଇଛି।
ରାଷ୍ଟ୍ରପତି ଏର୍ଦୋଗାନ ଗୁରୁବାର ସାମ୍ବାଦିକମାନଙ୍କୁ ସାକ୍ଷାତକାର ଦେଇ କହିଛନ୍ତି ଯେ, “ଆମେ ୟୁରୋଫାଇଟର ଜେଟ୍ କ୍ରୟ ନେଇ କତାର ଏବଂ ଓମାନ ସହିତ ଆଲୋଚନା ଜାରି ରଖିଛୁ। ଏହା ଏକ ବୈଷୟିକ ଭାବରେ ଜଟିଳ ବିଷୟ, କିନ୍ତୁ ଆଲୋଚନା ସକାରାତ୍ମକ ଭାବରେ ଅଗ୍ରଗତି କରୁଛି,”। ତେବେ ସବୁଠୁ ବଡ କଥା ହେଉଛି ସେ ନିକଟରେ କୁଏତ, କତାର ଏବଂ ଓମାନ ସମେତ ମଧ୍ୟପ୍ରାଚ୍ୟ ଦେଶଗୁଡ଼ିକୁ ଗସ୍ତରେ ଯାଇଥିଲେ। ତେଣୁ ଏହି ଡିଲକୁ ନେଇ ସେ ଏହି ଦେଶ ମାନଙ୍କ ସହ ଆଲୋଚନା କରିଥିବା ଚର୍ଚ୍ଚା ହେଉଛି।
ସୂଚନା ମୁତାବକ, ତୁର୍କୀ ଏବଂ ୟୁକେ ଗତ ଜୁଲାଇ ମାସରେ ୟୁରୋଫାଇଟର ଜେଟ୍ ବିକ୍ରୟ ପାଇଁ ଏକ ପ୍ରାରମ୍ଭିକ ଚୁକ୍ତିନାମା ସ୍ୱାକ୍ଷର କରିଥିଲେ। ୟୁରୋଫାଇଟର ଜେଟ୍ ୟୁକେ, ଜର୍ମାନୀ, ଇଟାଲୀ ଏବଂ ସ୍ପେନ ଦ୍ୱାରା ମିଳିତ ଭାବରେ ନିର୍ମିତ ହୋଇଛି। ତୁର୍କୀ ଏବେ ଏହାର ବାୟୁସେନାରଆବଶ୍ୟକତା ପୂରଣ କରିବା ପାଇଁ ମଧ୍ୟପ୍ରାଚ୍ୟ ଦେଶଗୁଡ଼ିକରୁ ବ୍ୟବହୃତ ଜେଟ୍ କିଣିବା ଉପରେ ନଜର ରଖିଛି।
ତୁର୍କ ମଧ୍ୟ ପ୍ରାଚ୍ୟ ଦେଶମାନଙ୍କରୁ ମୋଟ ୧୨୦ଟି ଯୁଦ୍ଧ ବିମାନ କିଣିବାକୁ ଯୋଜନା କରିଛି। ଯେଉଁଥିରେ ୪୦ଟି ୟୁରୋଫାଇଟର ଜେଟ୍, ୪୦ଟି ଆମେରିକୀୟ F-16 ଜେଟ୍ ଏବଂ ୪୦ଟି F-35 ଜେଟ୍ ସାମିଲ ରହିଥିବା ନେଇ ସୂଚନା ମିଳିଛି। ଏହା ୨୦୨୮ ସୁଦ୍ଧା KAN ଜେଟ୍ ସେବାରେ ପ୍ରବେଶ କରିବା ପୂର୍ବରୁ ବାୟୁସେନାକୁ ସୁଦୃଢ଼ କରିବା ପାଇଁ ଏକ ବଡ ନିଷ୍ପତ୍ତି ଭାବେ ପରିଗଣିତ ହେଉଛି।
ତୁର୍କୀକୁ ୨୦୧୯ ମସିହାରେ ଆମେରିକାର F-35 କାର୍ଯ୍ୟକ୍ରମରୁ ବାହାର କରିଦିଆଯାଇଥିଲା କାରଣ ତୁର୍କ ଆମେରିକାର ଧମକକୁ ଏଡାଇ ରୁଷର S-400 କ୍ଷେପଣାସ୍ତ୍ର ପ୍ରଣାଳୀ କିଣିଥିଲା। ଯାହାକୁ ନେଇ ଆମେରିକା ସୁରକ୍ଷା ବିପଦ ବୋଲି ଦର୍ଶାଇ ତୁର୍କକୁ ଏହି କାର୍ଯ୍ୟକ୍ରମରୁ କାଢି ଦେଇଥିଲା। ତଥାପି, ଏର୍ଦୋଗାନ୍ ସମ୍ପ୍ରତି ହ୍ୱାଇଟ୍ ହାଉସରେ ଆମେରିକାର ରାଷ୍ଟ୍ରପତିଙ୍କ ସହ F-35 କାର୍ଯ୍ୟକ୍ରମକୁ ଫେରିବା ପ୍ରସଙ୍ଗ ଉଠାଇଥିଲେ। ଏହି ସମୟରେ, ତାଙ୍କର ମଧ୍ୟପ୍ରାଚ୍ୟ ଗସ୍ତ ସମୟରେ, ସେ ପ୍ରତିରକ୍ଷା କ୍ଷେତ୍ର ସହିତ ଜଡିତ ଅନେକ ଚୁକ୍ତି ସ୍ୱାକ୍ଷର କରିଥିଲେ।
