ବିଜୟ ହଜାରେ ଟ୍ରଫି: ଆଜି ଦିଲ୍ଲୀକୁ ଭେଟିବ ଓଡ଼ିଶା

ଚଳିତ ବିସିସିଆଇ ଘରୋଇ ଦିନିକିଆ କ୍ରିକେଟ୍‌ ପ୍ରତିଯୋଗିତା ‘ବିଜୟ ହଜାରେ ଟ୍ରଫି’ରେ ଓଡ଼ିଶା ବୁଧବାର ଭେଟିବ ଦିଲ୍ଲୀକୁ। ଓଡ଼ିଶା ନିଜ ପ୍ରଥମ ମ୍ୟାଚ୍‌ରେ ସୌରାଷ୍ଟ୍ରଠାରୁ ୫ ୱିକେଟ୍‌ରେ ହାରିଯିବା ପରେ ପ୍ରତ୍ୟାବର୍ତ୍ତନ କରି ଦ୍ବିତୀୟରେ ସର୍ଭିସେସ୍‌କୁ ୪ ୱି‌କେଟ୍‌ ଓ ଆନ୍ଧ୍ରପ୍ରଦେଶକୁ ୬ ୱିକେଟ୍‌ରେ ହରାଇଥିଲା ଓଡ଼ିଶା। ପ୍ରଥମ ଦୁଇ ମ୍ୟାଚ୍‌ରେ ଓପନର୍‌ ସ୍ବସ୍ତିକ ସାମଲ ଦ୍ବିଶତକ (୨୧୨) ଏବଂ ଦ୍ରୁତ ବୋଲର ରାଜେଶ ମହାନ୍ତିଙ୍କ ହ୍ୟଟ୍ରିକ୍‌ ଓଡ଼ିଶା ଖେଳାଳି ଭାବେ ଲିଷ୍ଟ୍‌ ‘ଏ’ ପ୍ରଥମ ହେବାର ଗୌରବ ପାଇଥିଲେ। ଗତ ମ୍ୟାଚ୍‌ରେ ଅଭିଜ୍ଞ ଅଲ୍‌ରାଉଣ୍ଡର ଗୋବିନ୍ଦ ପୋଦ୍ଦାର (୮୯ ରନ୍‌) ଓ ଯୁବ ବ୍ୟାଟର୍‌ ଓମ୍‌ ଟି ମୁଣ୍ଡେ (୯୧) ଶତକରୁ ବଞ୍ଚିତ ହୋଇଥି‌ଲେ ମଧ୍ୟ ୧୬୨ ରନ୍‌ର ଭାଗୀଦାରି ଗଢ଼ି ଆନ୍ଧ୍ରକୁ ହରାଇବାରେ ପ୍ରମୁଖ ଭୂମିକା ତୁଲାଇଥିଲେ। ସଂପ୍ରତି ଓଡ଼ିଶା ୮ ପଏଣ୍ଟ୍‌ ସହ ଦ୍ବିତୀୟ ସ୍ଥାନରେ ରହିଛି।

ଅନ୍ୟପକ୍ଷରେ ଦିଲ୍ଲୀ ହ୍ୟାଟ୍ରିକ୍‌ ବିଜୟ ସହ ଶୀର୍ଷରେ ରହିଛି। ଆନ୍ଧ୍ରପ୍ରଦେଶକୁ ୪ ୱିକେଟ୍‌, ହରିୟାଣାକୁ ୭ ରନ୍‌ ଓ ସୌରାଷ୍ଟ୍ରକୁ ୩ ୱିକେଟ୍‌ରେ ହରାଇ ଅପରାଜେୟ ରହିଛି। ଫଳରେ ଓଡ଼ିଶାଠୁ ଚଳିତ ଋତୁରେ ଦିଲ୍ଲୀ ଆଗରେ ରହିଛି। ହେଲେ ପୂର୍ବରୁ ଉଭୟ ଦଳ ୨ ଥର ମୁହାଁମୁହିଁ ହୋଇଥିଲା ବେଳେ ଗୋଟିଏ ଲେଖାଏଁ ବିଜୟ ଓ ପରାଜୟ ପାଇଛନ୍ତି। ଶେଷ ଥର ପାଇଁ ୨୦୧୯ ଅକ୍ଟେବାର ୧୦ ତାରିଖରେ ଅନୁଷ୍ଠିତ ମୁକାବିଲାରେ ଦିଲ୍ଲୀ ୬୩ ରନ୍‌ରେ ଓଡ଼ିଶାକୁ ମାତ୍‌ ଦେଇଥିଲା। ଦିଲ୍ଲୀକୁ ୨୯୯/୬ରେ ଅଟକାଇବା ପରେ ଶୁଭ୍ରାଂଶୁ ସେନାପତିଙ୍କ ୭୭ ରନ୍‌ ସତ୍ତ୍ବେ ଓଡ଼ିଶା ୨୩୬/୮ରେ ଅଟକି ଯାଇଥିଲା। ଏହା ପୂର୍ବରୁ ୨୦୧୮ ସେପ୍ଟେମ୍ବର ୨୬ରେ ହୋଇଥିବା ମୁକାବିଲାରେ ଓଡ଼ିଶା ୯ ରନ୍‌ରେ ଦିଲ୍ଲୀକୁ ପରାସ୍ତ କରିଥିଲା। ଗୋବିନ୍ଦ ପୋଦ୍ଦାର (୫୬ ରନ୍‌), ବିପ୍ଳବ ସାମନ୍ତରାୟ (୬୩ ରନ୍‌) ଶୁଭ୍ରାଂଶୁ ସେନାପତି (୫୯* ରନ୍‌)ଙ୍କ ଅର୍ଦ୍ଧଶତକ ବଳରେ ୪୮ ଓଭରରେ ୨୪୯/୮ କରିଥିଲା। ଜବାବରେ ଗୌତମ ଗମ୍ଭୀରଙ୍କ ୪୪ ରନ୍‌ ସତ୍ତ୍ବେ ଦିଲ୍ଲୀ ୨୪୦ ରନ୍‌ରେ ଅଲ୍‌ଆଉ୍‌ଟ ହୋଇଯାଇଥିଲା। ଓଡ଼ିଶା ୮ ଜଣ ବୋଲରଙ୍କୁ ବ୍ୟବହାର କରିଥିଲା ବେଳେ ୭ ଜଣ ୱିକେଟ୍‌ ପାଇଥିଲେ।

Leave a Reply

Your email address will not be published. Required fields are marked *